ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଛି ୬୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୮/୦୫: ଗତକାଲି ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ହେଭିୱେଟ ନେତାଙ୍କ ଭାଗ୍ୟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ ମାଣ୍ଡଭ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ସେହିପରି ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହଙ୍କ ସମେତ ବହୁ ଭିଭିଆଇପି ଭୋଟ ଦେଇଛନ୍ତି । ତେବେ ପୂର୍ବ ଦୁଇଟି ପର୍ଯ୍ୟାୟ ଭଳି ଚଳିତ ନିର୍ବାଚନରେ ମଧ୍ୟ ଭୋଟ ହାର କମ ରହିିଛି । ୬୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ୪୦୦ ପାର୍ ନାରା ଦେଉଥିବା ମୋଦୀ ସରକାରଙ୍କ ପାଇଁ ୨୦୨୪ ନିର୍ବାଚନ ବୈତରଣୀ ପାର ହେବା ଏତେ ସହଜ ହେବନାହିଁ ବୋଲି ଆକଳନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ । ଅବଶ୍ୟ କମ୍ ଭୋଟିଂର ଫାଇଦା କାହାକୁ ମିଳିଲା, ତାହା ଜୁନ ୪ ପରେ ସ୍ପଷ୍ଟ ହେବ ।