କାଲିମେଳାରେ ଭି.କେ. ପାଣ୍ଡିଆନଙ୍କ ପ୍ରଚାର, କହିଲେ ଆଦିବାସୀ ଭାଇଭଉଣୀଙ୍କ ଶ୍ରଦ୍ଧା ଓ ସହଯୋଗ ଦେଖି ଡରୁଛନ୍ତି ବିରୋଧୀ

ଭୁବନେଶ୍ୱର,୨୯/୦୪: ନିର୍ବାଚନ ପାଇଁ ସଜବାଜ ସବୁ ରାଜନୈତିକ ଦଳ। ଏହାରିମଧ୍ୟରେ ଆଜି ମାଲକାନଗିରି କାଲିମେଳାରେ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏହି କ୍ରମରେ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ କହିଥିଲେ । ପାଣ୍ଡିଆନ୍ କହିଥିଲେ , ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି ଆଦିବାସୀ ଭାଇଭଉଣୀଙ୍କ ଶ୍ରଦ୍ଧା ଓ ସହଯୋଗ ଦେଖି ବିରୋଧୀ ଡରୁଛନ୍ତି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀ ଭାଇଭଉଣୀଙ୍କୁ ନିଜ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଆସିଛନ୍ତି । ସେମାନଙ୍କ କଳା, ସଂସ୍କୃତି, ଭାଷା, ଦେବସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ‘ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ’ ଗଠନ କରି ବିକାଶର ଧାରାକୁ ଆଗେଇ ନେଇଛନ୍ତି । ସବୁଠାରୁ ବଡକଥା ହେଲା ଆଦିବାସୀଙ୍କ ଉପରେ ଅନେକ ପୋଲିସ କେସ୍ ଏକସାଇଜ୍ କେସ୍ ଥିବାବେଳେ ମୁଖ୍ୟମନ୍ତ୍ରୀ ସେଥିରୁ ୫୦ ହଜାରରୁ ଅଧିକ କେସକୁ ରଦ୍ଦ କରିଛନ୍ତି, ଯାହା ବାସ୍ତବିକ ଏକ ଐତିହାସିକ ପଦକ୍ଷେପ । ୨୦୦୮ରେ ୨ ଟଙ୍କିଆ ଚାଉଳ , କ୍ରମେ ମାଗଣା ଚାଉଳ ଯୋଗାଣ ଯୋଜନା ମାଲକାନଗିରିରୁ ହିଁ ଆରମ୍ଭ ହୋଇଥିଲା । କେବଳ ଏତିକି ନୁହେଁ ଗରୀବ , ସରଳ ଆଦିବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବାକୁ ବିଏସକେୱାଇ ଯୋଜନା ଆରମ୍ଭ କଲେ , ଯାହା ଦ୍ୱାରା ସେମାନେ ରାଜ୍ୟ ତଥା ରାଜ୍ୟ ବାହରର ବଡ ବଡ ହସ୍ପିଟାଲ ଯାଇ ଚିକିତ୍ସା କରାଇପାରିବେ ।