ବିଜେପି ମୁଖ୍ୟାଳୟରେ ସଙ୍କଳ୍ପ ପତ୍ର ନାଁରେ ଦଳର ଇସ୍ତାହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪/୦୪: ବିଜେପି ମୁଖ୍ୟାଳୟରେ ‘ସଙ୍କଳ୍ପ ପତ୍ର’ ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସଙ୍କଳ୍ପ ପତ୍ରରେ ମୋଦୀ ଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ । ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଗରୀବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ । ମାଗଣାରେ ବିଜୁଳି ମିଳିବ । ଏହାସହ ପ୍ରତି ଘରକୁ ଶସ୍ତା ପାଇପ ଲାଇନ୍ ରନ୍ଧନ ଗ୍ୟାସ ଯୋଗାଇଦିଆଯିବ । ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯିବ । ବଳକା ବିଜୁଳିର ପଇସା ମଧ୍ୟ ମିଳିବ । ‘ମୁଦ୍ରା ଯୋଜନା’ ଅଧିନରେ ଅର୍ଥ ରାଶିକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୦ ଲକ୍ଷ କରାଯିବ ।୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ବ୍ୟକ୍ତି ଏବଂ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ କରାଯିବ ।
ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ । ଏହାସହ ଜାରି ଥିବା ମାଗଣା ରାସନକୁ ଆହୁରି ୫ ବର୍ଷ ଯାଏଁ ବିତରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୋଦୀ ।