ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବାୟତ

ଭୁବନେଶ୍ୱର,୧୩/୦୪: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବାୟତ । ପଣାସଂକ୍ରାନ୍ତିଠାରୁ ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରତିହାରୀ ନିଯୋଗ। ପରବର୍ତ୍ତି ପର୍ଯ୍ୟାୟରେ ୪ ଦ୍ୱାରରେ ପ୍ରତିହାରୀ ସେବାୟତଙ୍କୁ ନିୟୋଜିତ କରାଯିବା ବୋଲି ନିଷ୍ପତି ହୋଇଛି । ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦ୍ୱାରରେ ମୁତୟନ ରହୁଥିବା ବେଳେ ଏବେ କିଛି ଦିନ ହେଲା ସେ ବ୍ୟବସ୍ଥା ବନ୍ଦ ରହିଛି । ତେବେ ପୂନର୍ବାର ପ୍ରତିହାରୀ ସେବାୟତ ମାନେ ସିଂହଦ୍ୱାର ଖୋଲିବା ସମୟରେ ଓ ସନ୍ଧ୍ୟା ଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗର ସମ୍ପାଦକ କହିଛନ୍ତି । ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସରେ ସୁରକ୍ଷାବଳୟ ଭାଙ୍ଗି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଅବାଧରେ ପ୍ରବେଶ କରିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ । ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ବାରମ୍ବାର ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି ।