ଏଣିକି ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ, ଟାଟୁ କରିଥିଲେ ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦/୦୪: ଏଣିକି ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ । କମିଶନରେଟ ପୋଲିସର କୌଣସି କର୍ମଚାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଣସି ପୋଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଟାଟୁ ନ ଲିଭାଇଲେ ଡିପାର୍ଟମେଣ୍ଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ପକ୍ଷରୁ ଟାଟୁ ଲିଭାଇବା ପାଇଁ ୧୫ ଦିନ ସମୟ ଦିଆଯାଇଛି ।