ତାତିରୁ ମିଳିଲା ଆଶ୍ୱସ୍ତି, ରାଜଧାନୀରେ ପ୍ରବଳ କାଛିଲା ବର୍ଷା

ଭୁବନେଶ୍ୱର, ୭/୦୪: ରାଜ୍ୟରେ ହେଉଥିବା ପ୍ରବଳ ତାତିରୁ ମିଳିଲା ଆଶ୍ୱସ୍ତି । ୪ ଦିନର ଅସହ୍ୟ ତାତି ପରେ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେଇଛି । ରାଜଧାନୀ ଭୁବନେଶ୍ୱରରେ ଘଡଘଡି ସହ ବର୍ଷା ହେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।

କୁଆପଥର ବର୍ଷାକୁ ନେଇ ୮ ଜିଲ୍ଲା ଯେପରିକି ଢେଙ୍କାନାଳ, ନୟାଗଡ , ଅନୁଗୁଳ କଟକ , ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅରେଞ୍ଜ ୱାଣ୍ଣିଂ ଜାରିକରିଛି ବିଭାଗ । ବିଜୁଳି ଘଡଘଡି ବର୍ଷା ପାଇଁ ଦେଓଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ , ସୋନପୁର , ବୌଦ୍ଧ ଓ ସମ୍ବଲପୁରରେ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ, ଦେଓଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ , ରାୟଗଡା ଓ କଳାହାଣ୍ଡି ପାଇଁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୯ରୁ ପୁଣି ପାଗ ବଦଳିବା ସହ କୌଣସି ସତର୍କ ସୂଚନା ନଥିବା କହିଛି ପାଣିପାଗ ବିଭାଗ ।