ତାତିରୁ ମିଳିବନି ନିସ୍ତାର, ୩ ଦିନ ପ୍ରଚଣ୍ଡ ଖରାରେ ସିଝିବ ସାରା ଓଡ଼ିଶା

ଭୁବନେଶ୍ୱର,୪/୦୪: ରାଜ୍ୟରେ ତାତିରୁ ମିଳିବନି ନିସ୍ତାର । ଆଜିଠୁ ୩ ଦିନ ପ୍ରଚଣ୍ଡ ଖରାରେ ସିଝିବ ସାରା ଓଡ଼ିଶା । ଉଷ୍ମ-ଆଦ୍ର ପାଣିପାଗ ଯୋଗୁଁ ଉଷ୍ମ ରାତି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଦିନ ସହ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହ ପାଇଁ ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଦିନ ୧୧ଟାରୁ ୩ଟା ଯାଏ ଖରାରେ ନ ବୁଲିବାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଖରାରେ ବାହାରକୁ ଯାଉଥିଲେ ଛତା, ପାଣି ବୋତଲ, ଓଦା କପଡ଼ା ଟୋପି ନେଇ ଯିବାକୁ ପରାମର୍ଶ ଦିଆଯାଇଛି । ଛୋଟ ପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପ୍ରତି ବିପଦ ଥିବାରୁ ଅଧିକ ଯତ୍ନ ନେବାକୁ କୁହାଯାଇଛି ।