ଆସନ୍ତାକାଲିଠୁ ରାଜ୍ୟରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଆକଳନ

ଭୁବନେଶ୍ୱର,୦୧/୦୪: ଆସନ୍ତାକାଲିଠୁ ରାଜ୍ୟରେ ଅସହ୍ୟ ହେବ ତାତି । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । କେତେକ ସ୍ଥାନରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ନିମ୍ନ ଚାପ ରେଖା ଓ କାଳବୈଶାଖୀ ପାଇଁ ତାତି ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ପୁଣି ପ୍ରବଳ ଗରମ ଅନୁଭୂତ ହେବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୨ ତାରିଖଠାରୁ ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢ଼ିବ । ଗରମ ସହ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ଗରମ ପାଇଁ ସନଷ୍ଟ୍ରୋକ୍ ଓ ଡାଇରିଆ ବ୍ୟାପୀବାର ଆଶଙ୍କା ଥିବାରୁ ଟ୍ୱିଟ୍ କରି ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଡାକ୍ତରଖାନାକୁ ପ୍ରସ୍ତୁତ ରଖିବା ସହ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ଟ୍ୱିଟ୍ କରି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।