ଏପ୍ରିଲ ୧୯ରୁ ଏକଜିଟ୍ ପୋଲ୍ ଉପରେ ଲାଗିବ କଟକଣା

ଭୁବନେଶ୍ୱର,୩୦/୦୩: ଏକଜିଟ୍ ପୋଲ୍ ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ୧୯ ତାରିଖରୁ ଜୁନ ପହିଲା ଯାଏଁ ଲାଗିବାକୁ ଯାଉଛି ଏହି କଟକଣା । ଏନେଇ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ନିର୍ବାଚନ କମିସନ । ବିଜ୍ଞପ୍ତିରେ କୁହାଯାଇଛି ଯେ, ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ଉପରେ କଟକଣା ରହିବ । ଅର୍ଥାତ୍ ଏହି ଅବଧି ଭିତରେ କୌଣସି ପ୍ରକାରର ଏକଜିଟ୍ ପୋଲ ପ୍ରସ୍ତୁତି, ପ୍ରକାଶନ ଓ ପ୍ରସାରଣ ହେବ ନାହିଁ । ପୂର୍ବରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି । ବିଜ୍ଞପ୍ତିରେ ଆହୁରି ମଧ୍ୟ ଉଲ୍ଲେଖ ହୋଇଛି ଯେ ମତଦାନ ଶେଷ ହେବାର ୪୮ ଘଂଟା ପୂର୍ବରୁ ଜନମତ ସର୍ବେକ୍ଷଣ ଫଳାଫଳ ଏବଂ ନିର୍ବାଚନ ସର୍ଭେ ରିପୋର୍ଟ ଭଳି କୌଣସି ପ୍ରକାର ନିର୍ବାଚନ ସମ୍ବନ୍ଧିତ ବିଷୟବସ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ଉପରେ କଟକଣା ଲଗାଯାଇଛି । ସେହିପରି ଏହି କଟକଣା ସମସ୍ତ ପ୍ରିଂଟ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଉପରେ ମଧ୍ୟ ଲାଗୁ ହେବ । ଆସନ୍ତା ଏପ୍ରିଲ ୧୯ ତାରିଖରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଏହାସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମ ବିଧାନସଭା ପାଇଁ ଏକକାଳୀନ ମତଦାନ ହେବ । ସେହିଭଳି ୧୨ଟି ରାଜ୍ୟର ୨୫ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ ।