୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ଜଳଦସ୍ୟୁଙ୍କୁ କାବୁ କଲା ଭାରତୀୟ ନୌସେନା

ଭୁବନେଶ୍ୱର,୧୭/୦୩: ଭାରତୀୟ ନୌସେନାର ସଫଳ ହେଲା ୪୦ଘଣ୍ଟାର ଅପରେସନ୍ । ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ଜଳଦସ୍ୟୁଙ୍କୁ କାବୁ କରିଛି ନୌସେନା । ସୋମାଲିଆ ଜଳଦସ୍ୟୁ ମାନେ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରିନେଇଥିଲେ । ଏହାସହ ଏଥିରେ ଥିବା ନାବିକମାନଙ୍କୁ ପଣବନ୍ଦୀ ରଖିଥିଲେ । ହେଲେ ଏହି ଜାହାଜକୁ ଠାବ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ନୌସେନା ଏହି କାମରେ ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ଓ ଆଇଏନଏସ୍ ସୁଭଦ୍ରାକୁ ଲଗାଇଥିଲା । ଏହାସହ ମାର୍କୋସ୍ କମାଣ୍ଡୋମାନେ ମଧ୍ୟ ନିଯୁକ୍ତ ହୋଇଥିଲେ ।ଭାରତୀୟ ଉପକୂଳରୁ ପ୍ରାୟ ୨୬ ଶହ କିଲୋମିଟର ଦୂରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି । ଜଳଦସ୍ୟୁମାନେ ଗୁଳିଚାଳନା କରି ପଣ୍ୟବାହୀ ଜାହାଜକୁ ନେଇ ପଳାଇଯିବାକୁ ଚେଷ୍ଟା କରିଥିଲେ । ହେଲେ ମାର୍କୋସ୍ କମାଣ୍ଡୋମାନେ ଏହା କରିବାକୁ ଦେଇନଥିଲେ । ଏଥିରେ ଥିବା ୧୭ ଜଣ ନାବିକଙ୍କୁ ଉଦ୍ଧାର କରାଯିବା ସହ ୩୫ ଜଣ ଜଳଦସ୍ୟୁଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ।