ରାଜ୍ୟର ୭ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର,୦୪/୦୩: ରାଜ୍ୟରେ ବଢି ଚାଲିଥିବା ତାପମାତ୍ରା ଓ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆଜି ୭ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁରରେ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୭ ଓ ୮ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୭ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ମୟୂରଭଂଜ ଜିଲ୍ଲାରେ ବର୍ଷା ହୋଇପାରେ । ୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଗତକାଲି ରାଜ୍ୟର ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା । ପାରଳାଖେମୁଣ୍ଡିର ତାତି ସର୍ବାଧିକ ୩୭ ଡିଗ୍ରୀ ରହିଥିଲା । ୮ ଦିନ ପରେ ରାଜଧାନୀର ତାତି ପୁଣି ୩୬ ଡିଗ୍ରୀ ପାର କରିଥିଲା ।