ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ନୂଆଦିଲ୍ଲୀ,୨୩/୦୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦଘାତ ହୋଇଥିବା ଡାକ୍ତରମାନେ କହିଥିଲେ। ମନୋହର ଯୋଶୀଙ୍କୁ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତକାଲି ମନୋହର ଯୋଶୀ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଶିବସେନା-ୟୁବିଟି ନେତା ଉଦ୍ଧବ ଠାକରେ ଏବଂ ରଶ୍ମୀ ଠାକରେ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବାପାଇଁ  ଡାକ୍ତରଖାନାରେ ପହଞ୍ଚିଥିଲେ।