ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ, ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ହେଲା ଲୋକାର୍ପଣ

ଭୁବନେଶ୍ୱର,୨୦/୦୨: ବରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଛନ୍ତି । ୧୬୭୭ କୋଟି ୪୨ ଲ କ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜିଲ୍ଲାର ସବୁଜ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି । ସେହିପରି ୧୦୬ କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ପଶ୍ଚିମ ଓଡିଶାର କର୍କଟ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ ମହଲା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଗସ୍ତ ଅବସରରେ ୨୨କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ କରିଛନ୍ତି । ଏହାଛଡା ମୁଖ୍ୟମନ୍ତ୍ରୀ ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୫୯ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ ।