ବାଣ କାରଖାନାରେ ବିସ୍ଫୋରଣ, ୧୦ମୃତ

ନୂଆଦିଲ୍ଲୀ,୧୮/୦୨: ତାମିଲନାଡ଼ୁର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି।ଏହାସହ ୧୨ ଜଣ ଆହତ ହୋଇଛନ୍ତି। ଏଥିରେ କାରଖାନା ସମେତ ଆଉ ୪ଟି କୋଠା ଧ୍ବସ୍ତ ହୋଇଯାଇଛି। ବାଣ କାରଖାନା ସହରର ଭେମ୍ବକୋଟ୍ଟାଇ ଅଞ୍ଚଳରେ ଅବସ୍ଥିତ ଥିଲା। ପୁଲିସ ବାହିନୀ ସମେତ ଅଗ୍ନିଶମ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ହିଁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ବାଣ କାରଖାନାରେ କିଛି ରସାୟନର ମିଶ୍ରଣ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଏବଂ ଆହତମାନଙ୍କୁ ସମସ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।