ପବିତ୍ର ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ

ଭୁବନେଶ୍ୱର,୧୬/୦୨: ପବିତ୍ର ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ କୋଣାର୍କ ଚନ୍ଦ୍ରଭାଗା । ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଆଜି ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଦର୍ଶନ କରିବା ଫଳରେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ବଡ଼ି ଭୋରରୁ ଭକ୍ତଙ୍କ ବୁଡ଼ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୫ଜଣ ଆଡିସନାଲ ଏସପିଙ୍କ ସହିତ ୧୨ଜଣ ଡିଏସପି ୩୯ଜଣ ଇନସପେକ୍ଟର, ୧୨୨ ଜଣ ଏଏସଆଇ ୫୩୪ ଜଣ କନେଷ୍ଟବଳଙ୍କ ସମେତ ୩୩ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ନିର୍ମାଣ , ପାର୍କିଂ ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ନିୟୋଜିତ କରାଯାଇଛି । ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ ରୋକିବାକୁ ବହୁ ସଂଖ୍ୟାରେ ଲାଇଫଗାର୍ଡ ମଧ୍ୟ ନିୟୋଜିତ ହୋଇଛନ୍ତି ।