ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୧୫/୦୨: ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ ବିଜେପିର ବରିଷ୍ଠ ନେତା । ଅନ୍ୟପଟେ ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ସମର୍ଥନ କରିଛି ବିଜେଡି । ଏନେଇ ପ୍ରେସ ରିଲିଜ ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ପୂର୍ବଥର ମଧ୍ୟ ଅଶ୍ୱିନୀ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ । ୨୦୨୪ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଏହାପୂର୍ବରୁ ବିଜେଡିର ୨ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଓଡ଼ିଶାରୁ ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୫ ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ହେବ । ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୨୭ ତାରିଖ ଦିନ ନିର୍ବାଚନ ହେବା ସହ ଫଳାଫଳ ପ୍ରକାଶ ପାଇବ ।