ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୧୪/୦୨: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ଓଡ଼ିଶାରେ ଫାଙ୍କା ପଡିଥିବା ଆସନ ପାଇଁ ଅଶ୍ୱିନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପିର କେନ୍ଦ୍ରୀୟ କମିଟି ପକ୍ଷରୁ ଅଶ୍ୱିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ଲଢିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ବିଜେଡି ୨ ଜଣ ରାଜ୍ୟସଭା ପ୍ରାର୍ଥୀ ନାଁ ଘୋଷଣା କରିଥିଲା । ଉଭୟ ଦେବାଶିଷ ଓ ଶୁଭାଶିଷ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । କିନ୍ତୁ ତୃତୀୟ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲା ଦଳ । ତେଣୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ଲାଗି ରହିଥିଲା । ଅନ୍ୟପଟେ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିବା ପରେ ଏବେ ପୁରୁଣା ଇତିହାସର ପୁନରାବୃତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅଥାର୍ତ ପୁଣିଥରେ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ । ତେବେ ଅଶ୍ୱିନୀଙ୍କୁ ସମର୍ଥନ ନେଇ ବିଜେଡି ପକ୍ଷରୁ ଏଯାଏଁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ ।