ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ

ଭୁବନେଶ୍ୱର,୧୩/୦୨: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଏହି ସମୟରେ ଦଳର ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ । ବିଧାନସଭାରୁ ରାଜ୍ୟସଭାକୁ ଯିବା ତାଙ୍କ ପାଇଁ ପ୍ରମୋସନ ବୋଲି କହିଛନ୍ତି ଦେବାଶିଷ । ଆଉ ମୋ ଉପରେ ଭରସା କରି ଗୁରୁଦାୟିତ୍ୱ ଦେଇ ଦିଲ୍ଲୀ ପଠାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସେହିଭଳି ନାମାଙ୍କନ ଭରିବା ପୂର୍ବରୁ ଶୁଭାଶିଷ ଖୁଣ୍ଟିଆ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ମୋତେ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ମୁଁ ତାହାକୁ ପାଳନ କରିଛି । ଏହି ଦାୟିତ୍ୱକୁ ମଧ୍ୟ ପାଳନ କରିବି ବୋଲି କହିଛନ୍ତି ଶୁଭାଶିଷ ।