ସ୍ୱୟମ ଯୋଜନାକୁ ଅନୁମତି, ୧୮ରୁ ୩୫ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ବିନା ସୁଧରେ ମିଳିପାରିବ ୧ ଲକ୍ଷ

ଭୁବନେଶ୍ୱର, ୧୨/୦୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ଯୁବ ସମାଜ ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହାଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ୟ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।