ଆସିଲା ଚଳିତ ଆର୍ଥିକ ବର୍ଷର କାମଚଳା ବଜେଟ୍, ଜାଣନ୍ତୁ କେଉଁ ବିଭାଗକୁ କେତେ ଟଙ୍କା

ଭୁବନେଶ୍ଵର,୮/୦୨: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ ହୋଇଛି । ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨ ଲକ୍ଷ ୫୫ ହଜାର କୋଟିର କାମଚଳା ବଜେଟ୍ ଆଗତ କରିଛନ୍ତି । ତେବେ ଏଥର ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ । ଏହାସହିତ ପଞ୍ଚାୟତିରାଜ ବିଭାଗକୁ ୨୨,୫୪୩ କୋଟି ମିଳିଥିବାବେଳେ, ସ୍ୱାସ୍ଥ୍ୟ ବିଭାଗକୁ ମିଳିଛି ୧୯,୭୨୯ କୋଟି ଟଙ୍କା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି ଟଙ୍କା, ସ୍ୱାସ୍ଥ୍ୟ ବିଭାଗ – ୧୯,୭୨୯ କୋଟି ଟଙ୍କା, ଜଳସମ୍ପଦ ବିଭାଗ- ୧୩,୨୬୭ କୋଟି,ଯୋଜନା ଓ ସଂଯୋଜନା ବିଭାଗ – ୧୨,୦୪୩ କୋଟି, ନିର୍ମାଣ ବିଭାଗ – ୧୦,୯୫୦ କୋଟି, ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି, ଗୃହ ବିଭାଗ – ୮୬୪୧ କୋଟି ଟଙ୍କା ମିଳିଛି ।

ଅର୍ଥମନ୍ତ୍ରୀ କହିଛନ୍ତି, କାହାକୁ ଅବହେଳା ନ କରିବା ଆମ ୨୪ ବର୍ଷ ଶାସନର ମୂଳମନ୍ତ୍ର । ଓଡିଶା ରୂପାନ୍ତରୀକରଣ ପଥରେ ଆଗେଇ ଚାଲିଛି । ରାଜ୍ୟରେ ମୁଣ୍ଡପିଛା ଆୟ ବଢିଛି । ଦୃଢ ଆର୍ଥିକ ଅଭିବୃଦ୍ଧି ଯୋଗୁଁ ଦାରିଦ୍ର୍ୟ କମିଛି । ଆଗାମୀ ଆର୍ଥିକ ବର୍ଷରେ ଜାତୀୟ ଅଭିବୃଦ୍ଧି ଠାରୁ ଓଡ଼ିଶାର ଅଭିବୃଦ୍ଧି ଅଧିକ ରହିବା ଆକଳନ କରାଯାଇଛି । ରାଜ୍ୟର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି । କୃଷି ଓ କୃଷକ କଲ୍ୟାଣ ଉପରେ ଗୁରୁତ୍ବ ଦିଆଯାଉଛି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଏସକେୱାଇ ଯୋଜନା କରାଯାଇଛି । ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ପୂରଣ ହେଉଛି ।