ପେଟିଏମ୍‌ ପେମେଣ୍ଟ୍‌ସ କରୁଛନ୍ତି କି, ଫେବୃଆରୀ ୨୯ପରଠାରୁ ରିଜର୍ଭ ବ୍ୟାଙ୍କ ଲଗାଇଲା ଏହି ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୧/୦୧: ଆରବିଆଇ ଆଜି ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ଲିମିଟେଡ୍‌ ଉପରେ ପ୍ରତିବନ୍ଧକ ଲଗାଇଛି। ଆସନ୍ତା ୨୯ ଫେବ୍ରୁଆରି ୨୦୨୪ ପରେ ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଉପକରଣ, ୱାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍‌ରେ ଜମା କିମ୍ବା ଟପ୍‌ ଅପ୍‌ ଗ୍ରହଣ କରିବା ଉପରେ ପ୍ରତିବନ୍ଧକ ଲଗାଇଛି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ରିପୋର୍ଟଗୁଡ଼ିକରେ ବ୍ୟାଙ୍କରେ ନିରନ୍ତର ନିୟମ ଅନୁପାଳନ ଏବଂ ନିରନ୍ତର ତଦାରଖ ନେଇ ଚିନ୍ତା ପ୍ରକାଶ ପାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇ ଆହୁରି ମଧ୍ୟ କହିଛି ଯେ ସେଭିଙ୍ଗସ୍‌ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍‌ ଉପକରଣ, ଫାସ୍‌ଟ୍ୟାଗ୍‌, ନ୍ୟାସନାଲ କମନ୍‌ ମୋବିଲିଟି କାର୍ଡ ସମେତ ସେମାନଙ୍କ ଆକାଉଣ୍ଟରୁ ଗ୍ରାହକମାନେ ସେମାନଙ୍କ ଉପଲବ୍ଧ ବାଲାନ୍‌ସ ପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ବିନା ଉଠାଣ କିମ୍ବା ବ୍ୟବହାରକୁ ଅନୁମତି ଦିଆଯିବ। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୨୨ରେ ଆରବିଆଇ ପିପିବିଏଲ୍‌କୁ ତୁରନ୍ତ ନୂତନ ଗ୍ରାହକ ଅନବୋର୍ଡିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।