ଘନ କୁହୁଡି ନେଇ ୮ ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୩୦/୦୧: ରାଜ୍ୟରେ ଏବେ ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି। ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତି ଓଡିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘନ କୁହୁଡିର ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ୮ଟି ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ ଜିଲ୍ଲାରେ ଘନ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି । ଏଥିସହ ପଶ୍ଚିମାଝଡ ଓ ଗୁରୁଚାପ ବଳୟର ପ୍ରଭାବରେ ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଫେବୃଆରି ୧ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨ ତାରିଖରେ ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।