ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଯଜ୍ଞକୁଣ୍ଡରେ ହେବ ଅଗ୍ନିସଂଯୋଗ

ଭୁବନେଶ୍ୱର,୧୫/୦୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା ୧୭ରେ ହେବାକୁ ଯାଉଛି ।ଏହି କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ । ଲୋକାର୍ପଣ ପୂର୍ବରୁ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ହୋମଯଜ୍ଞ ଚାଲିବ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତ୍ତନ ହେଉଛି । ଏହା ପରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରି ମହାଯଜ୍ଞର ଶୁଭାରମ୍ଭ କରାଯିବ । ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବେଦପାଠ ବ୍ୟବସ୍ଥା ହୋଇଛି । ସେପଟେ ଶ୍ରୀମାର୍ଗ ଏବଂ ଶ୍ରୀସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆଜି ଏହା ଉପରେ ଟ୍ରାଏଲ ରନ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।