ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନ୍ସପେକ୍ଟର

ଭୁବନେଶ୍ୱର,୧୨/୦୧: ଭିଜିଲାନ୍ସ ଜାଲରେ ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା। ତାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତାରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ଏତେ ଟଙ୍କା କେଉଁଠୁ ଆଣିଲେ, ଟଙ୍କା କାହାର, ଟଙ୍କା ନେଇ ସେ କେଉଁଠିକୁ ଯାଉଛନ୍ତି, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।ଏହାପରେ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଚଢ଼ାଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ନଗଦ ୩ ଲକ୍ଷ ୮ହଜାର ୭୫୦ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢଉରୁ ନଗଦ ୨୪ ଲକ୍ଷ ୨୪ ହଜାର ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି । ଏବେ ଜିତେନ୍ଦ୍ରଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।