ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆଜିଠାରୁ ଆରମ୍ଭ ପୂଜାକାର୍ଯ୍ୟ

ଭୁବନେଶ୍ୱର,୧୨/୦୧: ଆସନ୍ତା ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭ ବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି । ନିଷ୍ପତ୍ତିି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ର୍କାକେଡ୍ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ । ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃ ପ୍ରଦକ୍ଷିଣ କରିବେ ।