ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/୧୧/୦୧: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ଟ୍ୟାଗଲାଇନ ରହିଛି ଭାଷା ହିଁ ଭବିଷ୍ୟତ । ଏହି ଲୋଗୋ ଉନ୍ମୋଚନ ସହ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ । ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି କହିଛନ୍ତି ନବୀନ । ଆସନ୍ତା ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ ।