ରାଜ୍ୟରେ କମିବ ଶୀତର ପ୍ରକୋପ, ଘନ କୁହୁଡି ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୦୨/୦୧: ଘନ କୁହୁଡି ସାଙ୍ଗକୁ ଶୀତରେ ଥରୁଛି ସାରା ଓଡ଼ିଶା । ଆଜି ରାଜ୍ୟର କଟକ ଭୁବନେଶ୍ୱର ସମେତ କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇଛି । ଆସନ୍ତାକାଲି ସକାଳେ ନୟାଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜାନୁଆରିରେ ଶୀତର ପ୍ରଭାବ କମିପାରେ । ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।ଏହା ସହ ଆସନ୍ତା ୪ ଓ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୬ ଓ ୭ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୪ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇପାରେ । ସେହିପରି ୫ ତାରିଖରେ ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ କେନ୍ଦ୍ର ।