କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩/୧୨: କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବ ପୁରୀ ପୌରପରିଷଦ । ୨୦୧୬ରେ ପୁରୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପୁରୀ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୁରୀ କୁମ୍ଭାରରଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟି ବୁଲା କୁକୁର ତାକୁ ଝୁଣି ପକାଇଥିଲେ । ଶିଶୁଟିକୁ ଘୋଷାଡି ଘୋଷାଡି ଏକ ବୁଦା ମୂଳକୁ ନେଇ ଯାଇଥିଲେ । ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଏନେଇ ସେତେବେଳେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମାଲାରେ ପୁରୀ ପୌରପରିଷଦ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି, ସେନେଇ ସତ୍ୟପାଠରେ ଦର୍ଶାଯାଇଥିଲା ।