ସ୍ଥଳଭାଗ ଛୁଇଁଲା ବାତ୍ୟା ମିଗଜୋମ, ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୦୫/୧୨: କିଛି ସମୟ ପୂର୍ବରୁ ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି । ବାତ୍ୟା ମିଗଜୋମକୁ ନେଇ ଆନ୍ଧ୍ରର ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା, କୃଷ୍ଣା, ପଶ୍ଚିମ ଗୋଦାବରୀ, କୋନସିମା ଏବଂ କାକିନଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ୮ଟି ଜିଲ୍ଲାରେ ଏନଡିଆରଏଫ ଓ ଏସଡିଆରଏଫର ଟିମକୁ ନିୟୋଜିତ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଇଏମଡି । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡା ରେ ୭ରୁ ୨୦ ସେଂଟିମିଟର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୮ଟି ଜିଲ୍ଲାରେ ବର୍ଷା ନେଇ ଜାରି ହୋଇଛି ୟୋଲୋ ୱାର୍ଣ୍ଣିଂ ।