ତେଲେଙ୍ଗାନାରେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୫/୧୨: ତେଲେଙ୍ଗାନାରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସେ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏନେଇ ବିଧାୟକ ଦଳ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଛି । ୪ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପିକୁ ବହୁମତ ମିଳିଥିବା ବେଳେ କେବଳ ତେଲେଙ୍ଗାନରେ କଂଗ୍ରେସକୁ ବହୁମତ ମିଳିଛି । ତେଲେଙ୍ଗାନାରେ ରେବାନ୍ତ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସ ୧୦ ବର୍ଷର କେସିଆର ସରକାରକୁ ପରାସ୍ତ କରିଛି । ଏଠାରେ ମୋଟ ୧୧୯ ଟି ଆସନ ମଧ୍ୟରୁ କଂଗ୍ରେସକୁ ୬୪ଟି ଆସନ ମିଳିଥିବା ବେଳେ ବିଆରଏସକୁ ୩୯ ଓ ବିଜେପିକୁ ମାତ୍ର ୮ଟି ଆସନ ମିଳିଥିଲା । ଏହାସହ ଅନ୍ୟାନ୍ୟ ଦଳମାନଙ୍କୁ ମଧ୍ୟ ୮ଟି ଆସନ ମିଳିଛି ।