ବାହନଗା ଷ୍ଟେସନରୁ ନିଲାମ ସହ ଉଠାଗଲା ଦୁର୍ଘଟଣାଗ୍ରସ୍ତ ରେଳଡବା

ଭୁବନେଶ୍ୱର,୨୮/୧୦: ଦୁର୍ଘଟଣାର ୫ମାସ ପରେ ବାହନଗା ଷ୍ଟେସନରୁ ନିଲାମ ସହ ଉଠାଗଲା ଦୁର୍ଘଟଣାଗ୍ରସ୍ତ ରେଳଡବା । ପଶ୍ଚିମବଙ୍ଗର ଏକ କମ୍ପାନୀ ପକ୍ଷରୁ ଭଗ୍ନ ରେଳଡବା ଉଠାଇବା କାମ ଆରମ୍ଭ ହୋଇଛି । କମ୍ପାନୀ କର୍ମଚାରୀ ମାନଙ୍କ ପକ୍ଷରୁ କାମ ଆରମ୍ଭ ହୋଇଛି । ମାସକ ମଧ୍ୟରେ କ୍ଷତିଗ୍ରସ୍ତ ରେଳଡବା ଗୁଡିକୁ ଉଠାଇନେବା ସହିତ କମ୍ପାନୀ ପକ୍ଷରୁ ସ୍କ୍ରାପିଂ କରାଯିବ । ଗତ ଜୁନ ୨ତାରିଖରେ ବାଲେଶ୍ୱର ବାହାନଗା ଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଶହରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଅନେକ ଶବ ଚିହ୍ନଟ ହୋଇ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିବା ବେଳେ ଆଉ କିଛି ଶବ ଚିହ୍ନଟ ହୋଇପାରିନଥିଲା । ଯାହାଫଳରେ ଗତ କିଛିଦିନ ପୂର୍ବେ ଚିହ୍ନଟ ହୋଇପାରିନଥିବା ଶବକୁ ପ୍ରଶାସନ ଦାହ କରିଥିଲା ।