ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ହାମୁନ

ଭୁବନେଶ୍ୱର,୨୪/୧୦: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ହାମୁନ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ଗତ ୬ ଘଂଟା ହେଲା  ଘଂଟାପ୍ରତି ୧୮ କିମି ବେଗରେ ଉତର-ଉତରପୂର୍ବ ଦିଗରେ ଗତି କରୁଛି । ପାରାଦୀପ ଠାରୁ ୨୧୦ କିମି ଦୂରେ ରହିଛି । ସେହିପରି ପଶ୍ଚିମବଙ୍ଗର ଦୀଘାଠୁ ୨୩୦ କିଲୋମିଟର ଦୂର ସମୁଦ୍ରରେ ରହିଛି ହାମୁନ । ଏହାର ପ୍ରଭାବରେ ଓଡିଶା ଉପକୂଳ ଅଂଚଳରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେଉଛି । ଆସନ୍ତାକାଲି ସକାଳ ଯାଏଁ ଉତର ଓଡଶା ଉପକୂଳ ଅଂଚଳର କିଛି ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଆସନ୍ତାକାଲି ବାଂଲାଦେଶ ଉପକୂଳ ଛୁଇଁପାରେ ହାମୁନ । ହେଲେ ସେହି ସମୟରେ ଦୁର୍ବଳ ହୋଇ ତୀବ୍ର ଅବପାତର ରୁପ ନେଇଥିବ, ତେଣୁ ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ବାଂଲାଦେଶ ଉପକୂଳର ଖେପୁପରା–ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଇଏମଡିର ଆକଳନ କହୁଛି, ଏହା ଓଡିଶା ଉପକୂଳରୁ ୨ ଶହ କିଲୋମିଟର ଦୂରରେ ସମୁଦ୍ର ଭିତରେ ଗତି କରିବ ।  ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି ।