ସିକ୍କିମରେ ବାଦଲ ଫଟା ବର୍ଷା, ୨୩ଯବାନ ନିଖୋଜ

ନୂଆଦିଲ୍ଲୀ,୪/୧୦: ସିକ୍କିମରେ ବାଦଲ ଫଟା ବର୍ଷା ହୋଇଛି । ବନ୍ୟାରେ ଭାସି ଯାଇ ୨୩ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ବେଳେ ଯାନବାହାନ ଭାସିଯାଇଛି । ସିଙ୍ଗତମ ନିକଟରେ ବାରଦାଙ୍ଗ ଠାରେ ସେନା କ୍ୟାମ୍ପ ପ୍ରଭାବିତ ହୋଇଛି । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ ଉପତ୍ୟକା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଉତ୍ତର ସିକ୍କିମର ହୋନକ ହ୍ରଦରେ ବାଦଲ ଫଟା ବର୍ଷା ହୋଇଛି । ଚୁଙ୍ଗଥାଙ୍ଗ ଡ୍ୟାମର ଗେଟ୍ ଖୋଲା ଯିବା ତିସ୍ତା ନଦୀରେ ଜଳସ୍ତର ହଠାତ ବୃଦ୍ଧି ପାଇଛି । ତଳିଆ ଅଞ୍ଚଳରେ ୧୫ରୁ ୨୦ଫୁଟ୍ ଜଳସ୍ତର ବଢ଼ିଯାଇଛି । ଡ୍ୟାମର ଗେଟ୍ ଖୋଲି ଦିଆଯିବା ପରେ ବିଭିନ୍ନ ଅଂଚଳରେ କାଦୁଅ ମିଶା ପାଣି ମାଡ଼ିଯାଇଛି । ଅନେକ ସ୍ଥାନରେ ପୋଲ ଭାସିଯାଇଥିବା ବେଳେ ରାସ୍ତା ମଧ୍ୟ ଭାସିଯାଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସିକ୍କିମର ଅନେକ ଅଂଚଳରେ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।