ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର,୪/୦୯: ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନଟି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା । ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଆଉ ଏହାପରେ ପାଇଲଟ ବିମାନଟିକୁ ବିମାନବନ୍ଦରକୁ ଫେରାଇଆଣିଥିଲେ ।ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନର ୬ଇ ୨୦୬୫ ଉଡାଣ ଆରମ୍ଭ କରିଥିଲା । ତେବେ ଉଡ଼ାଣର ୨୫ ମିନିଟ ପରେ ବିମାନର ବାମ ପାର୍ଶ୍ୱ ଇଂଜିନରେ ସମସ୍ୟା ଥିବାର ଜଣାପଡିଥିଲା । ଏହାପରେ ପାଇଲଟ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାକୁ ଏଟିସି ସହ ଯୋଗାଯୋଗ କରିଥିଲେ । ଆଉ ଏଟିସିର ଅନୁମତି ପରେ ବିମାନଟି ଜରୁରୀ ଅବତରଣ କରିଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଏବେ ବିମାନଟି ଭୁବନେଶ୍ୱର ବିମାନବନ୍ଦରରେ ଅଛି ।