ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କଲେ ରୁଷ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଦୁହେଁ ମହାକାଶ ସହଯୋଗ, ବ୍ରିକ୍ସ ସମ୍ପ୍ରସାରଣ ଓ ଜି-୨୦ ବୈଠକ ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କରେ ଆଲୋଚନା କରିଛନ୍ତି । ଆସନ୍ତା ୯ ଓ ୧୦ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସେ ଯୋଗଦେଇପାରିବେ ନାହିଁ ବୋଲି କହିଛନ୍ତି ପୁଟିନ୍ । ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲବରୋବ ରୁଷକୁ ଜି-୨୦ ବୈଠକରେ ପ୍ରତିନିଧିତ୍ୱ କରିବେ । ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସମସ୍ତ କାର୍ଯ୍ୟକ୍ରମକୁ ରୁଷ ପକ୍ଷରୁ ମିଳିଥିବା ଲଗାତର ସମର୍ଥନ ପାଇଁ ପୁଟିନକୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ଚନ୍ଦ୍ରଯାନ-୩ ସଫଳତା ପାଇଁ ପୁଟିନ୍ ପୁଣିଥରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ସହ ମହାକାଶ ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟ ଜଣାଇଛନ୍ତି ବୋଲି କ୍ରେମ୍ଲିନ୍ କହିଛି ।