ଆସନ୍ତା ୩୦ ପରେ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮/୦୮: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ପରେ ୩୦ ତାରିଖ ଆଡ଼କୁ ପୁଣି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି ।ଗତ ୨ ଦିନ ପାଗ ଶୁଖିଲା ରହିବା ପରେ ରାଖି ପୂର୍ଣ୍ଣିମା ଆଡ଼କୁ ପୁଣି ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ। ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ୩୧ ତାରିଖ ଦିନ ମଧ୍ୟ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ରହିଛି ।ତେବେ ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୂଳ ହେବ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରୁଛନ୍ତି । ଉତ୍ତର-ପୂର୍ବ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।