ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ

ଭୁବନେଶ୍ୱର,୨୪/୦୮: ଗତକାଲି ସଫଳ ଭାବେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡ କରିଛି । ଏହାପରେ ଆଜି ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ । ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ । ଏବେ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଅଧିକ ଧୂଳି ଲ୍ୟାଣ୍ଡ ଚନ୍ଦ୍ରପୃଷ୍ଠରେ ଅବତରଣ ବେଳେ ଉଡିଥିଲା । ଆଉ ଏହି ଧୂଳି କଣା ଚନ୍ଦ୍ରପୃଷ୍ଠରେ ଜମା ହେବା ପାଇଁ କିଛି ଘଣ୍ଟା ସମୟ ନେଇଥିଲା । ରୋଭର ପ୍ରଜ୍ଞାନରେ ଯେହେତୁ ଅନେକ ସମ୍ବେଦନଶୀଳ ଯନ୍ତ୍ରାଶ ଲାଗିଛି, ତେଣୁ ଏଗୁଡ଼ିକ ଧୂଳିକଣା ସଂସ୍ପର୍ଶରେ ନଆସିବା ପାଇଁ ପରିବେଶ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା । ତାସହ ଲ୍ୟାଣ୍ଡରରେ ଥିବା ସୋଲାର ପ୍ୟାନେଲରୁ ଧୂଳି ଖସିବା ପରେ ପ୍ୟାନେଲ ସୂର୍ଯ୍ୟ କିରଣରୁ ଶକ୍ତି ଗ୍ରହଣ କରି ରୋଭରକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଅପେକ୍ଷା କରାଯାଇଥିଲା । ଏସବୁ ପ୍ରକ୍ରିୟା ଶେଷ ହେବା ପରେ ଲ୍ୟାଣ୍ଡର ବିକ୍ରମର ଏକ ଦ୍ୱାର ଖୋଲିଥିଲା । ସେଥିରୁ ବାହାରିଥିଲା ରୋଭର ପ୍ରଜ୍ଞାନ ।