ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ଼ ଟିକା ପ୍ରଦାନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

ପୁରୀ, ୨୧ା୧(ଦି ପ୍ରଗତି ନ୍ୟୁଜ): ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ଼ ଟିକା ପ୍ରଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ କୋଭିଡ଼ ନେଗେଟିଭ ପ୍ରମାଣ ବିନା ଏବେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଜିଠାରୁ ଅନୁମତି ଦିଆଯାଇଛି । ତେଣୁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ଆସିବେ । ଭକ୍ତଙ୍କ ସମ୍ପର୍କରେ ଆସୁଥିବା ମହାପ୍ରଭୁଙ୍କ ସେବକମାନେ ମହାମାରୀ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ତେଣୁ ସମସ୍ତ ସେବକ ଓ ତାଙ୍କ ପରିବାରକୁ ଟିକା ଦେବା ପାଇଁ ଅନୁରୋଧ କରିଛନ୍ତି  ମୁଖ୍ୟ ପ୍ରଶାସକ।