ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ

ଭୁବନେଶ୍ୱର,୨୧/୦୮: ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍  ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ସିଏସ୍ଆର୍ ଟାଇମ୍ସ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ ନିମନ୍ତେ ତାଙ୍କୁ ଏହି ଆୱାର୍ଡ ମିଳିଛି।

ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତର ସିଏସଆର ସମ୍ମିଳନୀ ୨୦୨୩ରେ ଜିନ୍ଦଲ ଏହି ସାମ୍ନାନଜନକ ପୁରସ୍କାରକୁ ଉଜବେକିସ୍ତାନର ରାଷ୍ଟ୍ରଦୂତ ମାନ୍ୟବର ଦିଲଶୋଦ ଅଖଟୋବ ଠାରୁ ଗ୍ରହଣ କରିଥିଲେ । ଏହି ଅବସରରେ ମେଜର ଜେନେରାଲ୍ ରବିନ୍ଦ୍ର ସିଂ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ସୟଦ ଅତା ହସନୈନ୍, ସିଏସଆର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ରବି ଶଙ୍କର ଏବଂ ସିଏସଆର ଟାଇମ୍ସର ସମ୍ପାଦକ ହରିଶ ଚାନ୍ଦର ଏବଂ ବରିଷ୍ଠ କର୍ପୋରେଟ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ମାନ୍ୟବର ରାଜ୍ୟ ମନ୍ତ୍ରୀ ଏସ୍ ପି ବଘେଲ୍ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପୁରସ୍କାର ଗ୍ରହଣ କରିବା ପରେ ଜିନ୍ଦଲ କହିଥିଲେ ଯେ, “ମୋର ସାମାଜିକ ତଥା ସାଂସ୍କୃତିକ ପ୍ରୟାସ ପାଇଁ ଏହି ସ୍ୱୀକୃତି ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ଏହି ମଞ୍ଚ ମୋତେ ପ୍ରୋତ୍ସାହିତ କରିବ।।ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଏବଂ ତାଙ୍କ ବ୍ୟକ୍ତିଗତ ସାମର୍ଥ୍ୟରେ ଶାଲୁ ଜିନ୍ଦଲ କ୍ରମାଗତ ଭାବରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏକ ଅଦମ୍ୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାଜର ବଞ୍ଚିତ ବର୍ଗର ସଶକ୍ତିକରଣକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ନିରନ୍ତର ଉଦ୍ୟମ ତାଙ୍କୁ ଅନେକଙ୍କ ପାଇଁ ଆଶା ଏବଂ ପ୍ରେରଣାର ଉତ୍ସ ଭାବରେ ପ୍ରତିଷ୍ଠିତ କରିଛି ।

ତାଙ୍କର ଏହି ପଦକ୍ଷେପ ଗୁଡିକ ୧୦ ନିୟୁତ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି ଏବଂ ସାମାଜିକ ମଙ୍ଗଳ କ୍ଷେତରେ ଅନ୍ୟ କର୍ପୋରେଟ୍ ସଂସ୍ଥାଗୁଡ଼ିକ ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥିର ହୋଇପାରିଛି ।

ତାଙ୍କ ନେତୃତ୍ବରେ, ଜେଏସପି ଫାଉଣ୍ଡେସନ ବିଭିନ୍ନ ଉଚ୍ଚ-ପ୍ରଭାବଶାଳୀ ନିରନ୍ତର ସାମାଜିକ ବିକାଶ କାର୍ଯ୍ୟକ୍ରମ ଗ୍ରହଣ କରିଛି, ଯାହାକି ବଞ୍ଚିତ ଲୋକମାନଙ୍କ ଶିକ୍ଷା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା, ମହିଳା ଓ କୃଷକ ସଶକ୍ତିକରଣ, ଦକ୍ଷତା ବିକାଶ ଏବଂ ଲକ୍ଷ ଲକ୍ଷ କିଶୋରୀ ଓ ଶିଶୁମାନଙ୍କ ରକ୍ତହୀନତା ଏବଂ ପୁଷ୍ଟିହୀନତା ଦୂରୀକରଣ କରିବାରେ ସହାୟକ ହୋଇପରିଛି । ତିନି ଲକ୍ଷରୁ ଅଧିକ ମହିଳା, କୃଷକ ଏବଂ ଛାତ୍ରୀଙ୍କୁ ସମ୍ମାନର ସହ ଜୀବନ ବଞ୍ଚିବା ପାଇଁ ସଶକ୍ତ କରିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ସକ୍ଷମ କରିବା ପାଇଁ ଶଲୁ ଜିନ୍ଦଲ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକାର୍ଜନ କ୍ଷେତ୍ରରେ ବହୁମୁଖୀ କାର୍ଯ୍ୟକ୍ରମକୁ ଗ୍ରହଣ କରିଛନ୍ତି ।

ସାମାଜିକ କାର୍ଯ୍ୟ ବ୍ୟତୀତ ଜିନ୍ଦଲ ଜଣେ ପ୍ରସିଦ୍ଧ କୁଚିପୁଡି ନୃତ୍ୟାଙ୍ଗନା ଭାବରେ ଜଣାଶୁଣା । ବିଶ୍ଵସ୍ତରରେ ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ନିମନ୍ତେ ମଧ୍ୟ ସେ କାର୍ଯ୍ୟ କରିଆସୁଛନ୍ତି । ସେ ଜାତୀୟ ବାଲ ଭବନର ଚେୟାରପର୍ସନ୍ ତଥା ୟଙ୍ଗ ଫିକିର ପ୍ରତିଷ୍ଠାତା ସଭାପତି ଭାବରେ କାର୍ଯ୍ୟ କରିଛନ୍ତି । ଶାଲୁ ଜିନ୍ଦଲ ଛତିଶଗଡର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ସେ ଲଣ୍ଡନରେ ଗୋଲଡେନ୍ ପିକକ୍ ପୁରସ୍କାର ଓ ସିଙ୍ଗାପୁରରେ ମହାତ୍ମା ଗାନ୍ଧୀ ପୁରସ୍କାର ଏବଂ ସିଏମଓ ଏସିଆ ଦ୍ୱାରା ଏକଲବ୍ୟ ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।
ସିଏସ୍ଆର ଟାଇମ୍ସ ଦ୍ବାରା ଆୟୋଜିତ ଏହି ଜାତୀୟସ୍ତର ସମ୍ମିଳନୀରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନକୁ ଦୁଇଟି ଶ୍ରେଣୀରେ – ସ୍ବାସ୍ଥ୍ୟସେବା ଏବଂ ସ୍ବତନ୍ତ୍ର ପ୍ରକଳ୍ପ (୫୦୦୦ ରୁ ଅଧିକ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପୁନଃବାସ ନିମନ୍ତେ ଜିନ୍ଦଲ ଆଶା କାର୍ଯ୍ୟକ୍ରମ ଏବଂ ଓଡିଶା, ଛତିଶଗଡ, ଦିଲ୍ଲୀ ଓ ଉତ୍ତର ପ୍ରଦେଶର ବିଭିନ୍ନ ବରିଷ୍ଠ ନାଗରିକସେବା କେନ୍ଦ୍ର ଗୁଡିକରେ ବଞ୍ଚିତ ଏବଂ ପରିତ୍ୟକ୍ତ ବରିଷ୍ଠ ନାଗରିକମାନଙ୍କ ପ୍ରତିପୋଷଣ) – ପୁରସ୍କାର ପ୍ରଦାନ କରାଯାଇଥିଲା । ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା ଏହି ପୁରସ୍କାର ଦୁଇଟିକୁ ଗ୍ରହଣ କରିଥିଲେ ।