ହଜାରେ କୋଟିର କ୍ରିପ୍ଟୋ ଠକେଇ: ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ

ଭୁବନେଶ୍ୱର,୮/୮: କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣା। ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ। ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସ। ଗତକାଲି ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲେ ଇଓଡବ୍ଲୁ। ତେବେ ତିନିଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

 ସୂଚନା ଅନୁସାରେ ରାଜ୍ୟରେ କ୍ରିପ୍ଟୋ କରେନ୍ସି କାରବାର ଓ ଠକେଇ ସଂକ୍ରାନ୍ତରେ ଇଓଡବ୍ଲୁ ପାଖରେ ବିଶ୍ବସ୍ତ ସୂତ୍ରରୁ ଖବର ପହଞ୍ଚିଥିଲା। ବିଶେଷ କରି ଭଦ୍ରକ, ବାଲେଶ୍ବର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ କ୍ରିପ୍ଟୋ କରେନ୍ସି କାରବାର ସକ୍ରିୟ ରହିଛି। ଏଥିରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାରେ ସଦସ୍ୟଙ୍କ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ। ପ୍ରାୟ ହଜାରେ କୋଟି ଟଙ୍କାର କାରବାର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି। ଏହି ସଂସ୍ଥା ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ କାରବାର ମେଲାଇଥିଲା।