ଉତ୍କେଲାରୁ ବିମାନ ଉଡିବା ନେଇ ମିଳିଲା ଅନୁମତି

ଭୁବନେଶ୍ୱର, ୭/୫: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ଆଜି ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ପକ୍ଷରୁ ଅନୁମତି ମିଳିଛି। ଫଳରେ ଅନେକ ଦିନ ଧରି ଅପେକ୍ଷା କରି ରହିଥିବା କଳାହାଣ୍ଡିବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଡିଜିସିଏ ପକ୍ଷରୁ ଉତ୍କେଲାରୁ ବିମାନ ଚଳାଚଳ ନେଇ ସବୁଜ ସଂକେତ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଲାଇସେନ୍ସ ମିଳିବା ପରେ ଖୁବ୍‌ ଶୀଘ୍ର ଉତ୍କେଲାରୁ ଭୁବନେଶ୍ବରକୁ ବିମାନ ଉଡ଼ିବ। ଏହା ଦ୍ବାରା ଏହି ଅଞ୍ଚଳର ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ପ୍ରଥମ ପର୍ଯ୍ୟାୟରେ ଉତ୍କେଲାରୁ ଭୁବନେଶ୍ବରୁ ଉଡ଼ାଣ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି।