ହରିୟାଣାରେ ହିଂସା, ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧/୦୮: ହରିୟାଣାର ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି। ଯେଉଁଥିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହରିୟାଣାର ମୁମଲିମବହୁଳ ଅଞ୍ଚଳ ନୁହରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିଲା ବେଳେ ହଠାତ୍ ଏହା ଉପରକୁ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ ।

ପରବର୍ତ୍ତୀ ସମୟରେ ଏହା ଭୟଙ୍କର ହିଂସାରେ ପରିଣତ ହୋଇଥିଲା । ଏହି ସଂଘର୍ଷରେ କିଛି କାର ଜାଳି ଯାଇଥିବା ଦେଖିବାକୁ ମିଳିଛି । ହରିୟାଣା ପୋଲିସ ବିଶୃଙ୍ଖଳ ଜନତାକୁ ଘଉଡ଼ାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା । ସେପଟେ ହିଂସା ଜାରି ରହିଥିବା ବେଳେ ଗୁରୁଗ୍ରାମ ଜିଲ୍ଲାର ସୋହ୍ନା ଅଞ୍ଚଳରେ ମଧ୍ୟ ହିଂସା ଉପୁଜିଛି। ବିଶୃଙ୍ଖଳ ଜନତା ୪ଟି ଗାଡ଼ି ଏବଂ ଏକ ଦୋକାନ ଜାଳି ଦେଇଛନ୍ତି।