ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୨/୦୭: ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ କରିବାକୁ  ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପରଜଙ୍ଗ ବ୍ଲକ ଏବଂ କଙ୍କଡାହାଡ ବ୍ଲକରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଛନ୍ତି । ଉଭୟ ଅଞ୍ଚଳର ଲୋକମାନେ ବିଦ୍ୟୁତ୍ ପାଇଁ ତାଳଚେର ଠାରେ ଥିବା ଚାଇଁପାଳ ଗ୍ରୀଡ୍ ଉପରେ ନିର୍ଭର କରୁଛନ୍ତି । ମାତ୍ର ଓଭର ଲୋଡିଂ କାରଣରୁ ଲୋକମାନେ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି ।ଫଳରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ, ଶିକ୍ଷା ସମେତ ଅନ୍ୟାନ୍ୟ କାମରେ ବ୍ୟାଘାତ ସୃଷ୍ଟି ହେଉଛି ।  ତେଣୁ ନିରନ୍ତର ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ତଥା ଉଭୟ ଅଞ୍ଚଳରେ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ ପ୍ରତିଷ୍ଠା କରିବା ଉପରେ ବିଚାର କରିବା ପାଇଁ ସେ ଅନୁରୋଧ କରିଛନ୍ତି।