ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ

ଭୁବନେଶ୍ୱର,୧୦/୦୭: ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ତେବେ ବର୍ଷା ଏବଂ ଜଳବନ୍ଦୀ ସମସ୍ୟାକୁ ଦେଖି ଗୁରୁଗ୍ରାମ ଏବଂ ନୋଏଡାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କିଛି ପ୍ରାଇଭେଟ୍ କମ୍ପାନୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସହିତ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳରେ ଶନିବାର ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏହାସହ ରାସ୍ତାରେ ଜଳବନ୍ଦୀ, କୃତ୍ରିମ ବନ୍ୟା ମଧ୍ୟ କିଛି କିଛି ଅଞ୍ଚଳରେ ଦେଖିବାକୁ ମିଳିଛି । ଗୁରୁଗ୍ରାମ, ନୋଏଡାରେ ପ୍ରବଳ ବର୍ଷା କାରଣରୁ ସ୍କୁଲ ବନ୍ଦ ରହିବ । ଅନ୍ୟପଟେ ପାଣିପାଗ ବିଭାଗ ତରଫରୁ କିଛି ଅଞ୍ଚଳରେ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି ।