ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଭୁବନେଶ୍ୱର, ୭/୭:  କୌଣସି ମନ୍ଦ ଉଦ୍ଦେଶ୍ୟ ନଥାଇ ବିବାହ ପ୍ରତିଶ୍ରୁତି ଆଧାରରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆର୍ଥାତ୍ ଉଭୟ ପକ୍ଷ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି କୌଣସି କାରଣରୁ ପ୍ରତିଶ୍ରୁତି ପାଳନ କରିନପାରିଲେ ଏହା ଦୁଷ୍କର୍ମ ନୁହେଁ ବୋଲି ରାୟ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ ନକରିବା କାରଣରୁ ଭୁବନେଶ୍ୱରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସ୍ଥାନୀୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଏଥିରେ ପୋଲିସ ପୁରୁଷ ବନ୍ଧୁ ମନୋରଂଜନ ଦାସଙ୍କ ବିରୋଧରେ ଧାରା ୩୭୬ରେ ମାମାଲା ରୁଜୁ କରିଥିଲା । ଏହି ମାମଲାକୁ ଚ୍ୟାଲେଂଜ କରି ଆବେଦନକାରୀ ମନୋରଂଜନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ଏହି ମାମଲାରେ ଆବେଦନକାରୀଙ୍କ ବିରୋଧରେ ଦଫା ୩୬୭ ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ମତଦେଇଛନ୍ତି ।