କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ହିଜାବ ବିବାଦ

ନୂଆଦିଲ୍ଲୀ,୧୭/୦୬: କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ଏବେ ହିଜାବ ବିବାଦ ମୁଣ୍ଡ ଟେକିଛି।ହାଇଦ୍ରାବାଦର ଏକ କଲେଜରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ହଲକୁ ଯାଇଥିବାବେଳେ ସେମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବାର ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଅଧ ଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଥିଲା ଏବଂ ବୁର୍ଖା ଖୋଲିବା ପରେ ସେମାନଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିଲା।

ସୂଚନା ମୁତାବକ ଗତକାଲି ହାଇଦ୍ରାବାଦର ଏକ କଲେଜରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ଦେବାକୁ ଯାଇଥିଲେ। ତେବେ କଲେଜ ପ୍ରଶାସନ ସେମାନଙ୍କୁ ପରୀକ୍ଷା ହଲ ଭିତରକୁ ଯିବାକୁ ଦେଇ ନଥିଲା। ଛାତ୍ରୀମାନେ ବୁର୍ଖା କାଢ଼ିବାକୁ ବାଧ୍ୟ ହୋଇଥିଲେ । ପରୀକ୍ଷା ଦେବାକୁ ହେଲେ ବୁର୍ଖା କାଢ଼ିବାକୁ ପଡିବ ଓ ପରୀକ୍ଷା ସରିବା ପରେ ବୁର୍ଖା ବାହାରେ ପିନ୍ଧି ପାରିବ ବୋଲି କୁହାଯାଇଥିଲା।