କରମଣ୍ଡଳ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ୱର,୩/୬: ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌  ଧକ୍କା ହୋଇ ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଶନିବାର ଅପରାହ୍ନରେ ଶେଷ ହୋଇଛି। ଏଯାବତ ଏହି ଭୟାବହ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୩ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଆହତ ୮୦୩ ଜଣଙ୍କ ମଧ୍ୟରେ ୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭୪୭ ଜଣ ଆହତ ଅବସ୍ଥାରେ ଅଛନ୍ତି । ଆହତ ଯାତ୍ରୀମାନଙ୍କୁ ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର, ଭଦ୍ରକ, ସୋର ଓ କଟକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ଏତିକି ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି | ସେହିପରି ମୃତାହତଙ୍କ ସମ୍ପର୍କୀୟଙ୍କୁ ନେଇ ଆଜି ଚେନ୍ନାଇରୁ ଭଦ୍ରକ ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ବାହାରିବାକୁ ଯାଉଛି |