ଆସନ୍ତା ୨୮ରେ ଉଦଘାଟନ ହେବ ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୨୫/୫: ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ ହେବ। ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ୧୨ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ସକାଳ ସାଢ଼େ ୭ଟାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହେବ । ପୂଜା ପାଇଁ ଗାନ୍ଧୀ ମୂର୍ତି ପାଖରେ ପେଣ୍ଡାଲ ହେବ । ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ କିଛି ମନ୍ତ୍ରୀ ଉପସ୍ଥିତ ରହିବେ । ସକାଳ ୭.୩୦ରୁ ୮.୩୦ ଯାଏ ହେବ ପୂଜା ଓ ଯଜ୍ଞ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି । ଏହା ପରେ ସାଢ଼େ ୮ଟାରୁ ୯ଟା ଯାଏଁ ଲୋକସଭା କକ୍ଷ ଭିତରେ ସେନଗୋଲ ସ୍ଥାପନା କରାଯିବ । ସକାଳ ସାଢ଼େ ୯ଟା ବେଳେ ପ୍ରାର୍ଥନା ସଭା ଆୟୋଜିତ ହେବ । ଏହା ପରେ ଅପରାହ୍ଣ ୧୨ଟାରୁ ଜାତୀୟ ସଂଗୀତ ସହ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଅପରାହ୍ଣ ସାଢ଼େ ୨ଟା ବେଳେ କାର୍ଯ୍ୟକ୍ରମ ଶେଷ ହେବ ।