ପ୍ରଚଣ୍ଡ ତାତିରୁ ସାମାନ୍ୟ ଆଶ୍ୱସ୍ତି, ରାଜ୍ୟରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୫/୦୫: ରାଜ୍ୟରେ ପ୍ରଚଣ୍ଡ ଖରା ତାତିରୁ କାଳବୈଶାଖୀ ବର୍ଷା  ଆଶ୍ୱସ୍ତି ଦେଇଛି। କଟକ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଘଡଘଡି ବର୍ଷା ହେବା ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି । ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି । ବାଙ୍କୀ-କଟକ ରାସ୍ତାର କୁଶପଙ୍ଗି ନିକଟରେ ଅନେକ ଗଛ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି । ଫଳରେ ବାଙ୍କୀ-କଟକ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି, ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି ହୋଇଛି ।