ଶପଥ ନେଲେ ତିନି ନୂଆ ମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୨/୫: ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଜଣଙ୍କୁ ବିଭାଗ ବଣ୍ଟନ କରାଯାଇଛି । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ । ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ । ସେହିପରି ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ବଣ୍ଟନ କରାଯାଇଛି । ପୂର୍ବରୁ ସମୀର ଦାଶ ଏହି ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷରେ ଶାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ।